Showing posts with label ଗୀତ. Show all posts
Showing posts with label ଗୀତ. Show all posts

Thursday, April 26, 2007

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ
ଚାରୁହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ।
ପୂତ-ପୟୋଧି-ବିଧୋତ-ଶରୀରା,
ତାଳତମାଲ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା

ଜନନୀ, ଜନନୀ, ଜନନୀ।

ଧନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତବରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,

ଜନନୀ, ଜନନୀ, ଜନନୀ।

ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା

ଜନନୀ, ଜନନୀ, ଜନନୀ।

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା

ଜନନୀ, ଜନନୀ, ଜନନୀ।

ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୂଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା

ଜନନୀ, ଜନନୀ, ଜନନୀ।

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ

ଜନନୀ, ଜନନୀ, ଜନନୀ।

-- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

(ଉତ୍କଳ ପ୍ରସଙ୍ଗ ସୌଜନ୍ୟରୁ)